ଅନ୍ନ ଘେନି ମନ
ଆଜିଆସନ୍ତୁ ଶୁଣିବା ମହାଭାରତର ଗୋଟିଏ କାହାଣୀ । ଅଠର ଦିନର ଯୁଦ୍ଧର ପରିସମାପ୍ତି ଘଟିଛି । କୌରବ ପକ୍ଷର ସମସ୍ତେ ପ୍ରାୟ ମୃତ୍ୟୁ ଲୋକକୁ ଯାଇସାରିଛନ୍ତି । ଯୁଦ୍ଧ କ୍ଷେତ୍ର ସଂପୂର୍ଣ୍ଣ ରକ୍ତ ରଞ୍ଜିତ । ପାଣ୍ଡବମାନେ ଯୁଦ୍ଧରେ ବିଜୟ ପ୍ରାପ୍ତ କରିଛନ୍ତି । ପାଣ୍ଡବମାନେ ସିନା ବିଜୟ ଲାଭ କଲେ ହେଲେ ତାଙ୍କର କଣ କିଛି କ୍ଷତି ହେଇନି ? ହଁ .... ବହୁତ କିଛି କ୍ଷତି ହେଇଛି । ସେମାନେ ଅନେକ ନିଜ ଲୋକଙ୍କୁ ହରେଇଛନ୍ତି। ଭୀମ, ଅର୍ଜୁନ ସେମାନଙ୍କର ପୁତ୍ରମାନଙ୍କୁ ହରେଇଛନ୍ତି । ଦ୍ରୌପଦୀ ନିଜର ପାଞ୍ଚ ପୁତ୍ରଙ୍କୁ ହରେଇଛନ୍ତି । ଅବସ୍ଥା ଏପରି ହେଇଯାଇଥିଲା କି ଏତେ ବଡ ବଂଶର ଉତ୍ତରାଧିକାରୀ ମରୁ ମରୁ ଅଳ୍ପକେ ବଞ୍ଚି ଗଲା । ନହେଲେ ଏମାନଙ୍କ ପିଣ୍ଡ ପାଣି ବି ବୁଡି ଯାଇଥାନ୍ତା । ଛାଡ ସେ କଥା, କୌରବ ପକ୍ଷରୁ ଏ ଯାଏ ପିତାମହ ଭୀଷ୍ମ ବଞ୍ଚି ରହିଥିଲେ । ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ପ୍ରସ୍ତୁତ ଶରଶଯ୍ୟାରେ ଶୋଇ ରହି ପ୍ରାଣ ଛାଡିବା ପାଇଁ ସେ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲେ । ଅପେକ୍ଷା ଥିଲା ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ । ଏଇ ସମୟରେ ଭଗବାନ ଶ୍ରୀକୃଷ୍ଟ ପାଣ୍ଡବମାନଙ୍କୁ ପ୍ରେରିତ କଲେ କି ପିତାମହଙ୍କ ପ୍ରାଣ ଯିବା ଆଗରୁ ତୁମେମାନେ ତାଙ୍କ ଠାରୁ ସବୁତକ ନୀତି ଶିକ୍ଷା ଗ୍ରହଣ କର ।
ଶ୍ରୀକୃଷ୍ଣଙ୍କ ଉପଦେଶ ମାନି ପାଣ୍ଡବମାନେ ଭୀଷ୍ମଙ୍କ ପାଖକୁ ଯାଇ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ନିଜ ନିଜ ଜ୍ଞାନକୁ ବିସ୍ତାରିବାରେ ଲାଗି ଗଲେ । ତାଙ୍କର ଏ ଜ୍ଞାନ ଦର୍ଶନ ବଡ ଅମୂଲ୍ୟ ଥିଲା । ହେଲେ ଏଇ ସମୟରେ ଭୀଷ୍ମ ଲକ୍ଷ୍ୟ କଲେ ତାଙ୍କର ଏ ଜ୍ଞାନ ଚର୍ଚ୍ଚା ସମୟରେ କୁଳବଧୂ ଦ୍ରୌପଦୀ କିଛି ଦୂରରେ ଠିଆ ହେଇ ହସୁଛନ୍ତି । କଥାଟା ଭୀଷ୍ମଙ୍କୁ ଅଡୁଆ ଲାଗିଲା । ଏଠି ଏତେ ଗୁରୁଜନ ଥାଉ ଥାଉ ଉଚ୍ଚ କୁଳର ଝିଅ ତଥା ଉଚ୍ଚକୁଳର ବୋହୁ କିପରି ସର୍ବ ସମକ୍ଷରେ ହସି ପାରୁଛି ?
ପିତାମହ ଦ୍ରୌପଦୀଙ୍କୁ ପାଖକୁ ଡାକିଲେ ଆଉ ତାଙ୍କୁ ଏ ବିଷୟରେ ପ୍ରଶ୍ନ କଲେ । ଏ ପ୍ରଶ୍ନରେ ଦ୍ରୌପଦୀ ଟିକେ ଗମ୍ଭୀର ହେଇ ପିତାମହଙ୍କୁ କ୍ଷମା ଭିକ୍ଷା କରି କହିଲେ-“ଯଦିଓ ମୋର ଏଠାରେ ହସିବା ଉଚିତ ନୁହେଁ, ତେବେ ବି ମୁଁ ଆପଣଙ୍କୁ ଏକ ପ୍ରଶ୍ନ କରିବାକୁ ଚାହୁଁଛି ?”
ପିତାମହ-“ପଚାର .... ମା’ ; ପଚାର .... ମୁଁ ମରିବା ଆଗରୁ ତୁମମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇ କି ହିଁ ମରିବି ।“
ଦ୍ରୌପଦୀ-“ପିତାମହ .... ଆପଣ ଏବେ ମୋ ସ୍ଵାମୀମାନଙ୍କୁ ଭଲ ଭଲ ନୀତି ଶିକ୍ଷା ପ୍ରଦାନ କରୁଛନ୍ତି .... ହେଲେ ସେ ଦିନ ଆପଣଙ୍କ ଏ ନୀତି କୁଆଡେ ଯାଇଥିଲା ଯେଉଁ ଦିନ ଏକ ରଜସ୍ଵଳା ନାରୀର କେଶ ଧରି ଭରାସଭାକୁ ଟାଣି ଟାଣି ଅଣା ଯାଇଥିଲା ? ଏ ନୀତି କେଉଁଠି ଥିଲା ଯେଉଁ ଦିନ ଆପଣଙ୍କ ପରି ଗୁରୁଜନଙ୍କ ସମ୍ମୁଖରେ ମୋର ବସ୍ତ୍ରହରଣ କରାଯାଇଥିଲା ? ଅଛି ଉତ୍ତର ଆପଣଙ୍କ ପାଖରେ ?”
ଦ୍ରୌପଦୀଙ୍କ ପ୍ରଶ୍ନ ଶୁଣି ସ୍ତବ୍ଧ ହେଇ ଯାଇଥିଲେ ସମସ୍ତେ । ସମସ୍ତେ ଜାଣିଥିଲେ ସାନମାନେ ବଡମାନଙ୍କର ଭୁଲକୁ ଦର୍ଶାଇବା ଉଚିତ ନୁହେଁ । ତେବେ ବି ଏ ପ୍ରଶ୍ନ ଦ୍ରୌପଦୀ ପଚାରିବାକୁ ସାହସ କରିଛନ୍ତି ।
ଏକ ଦୀର୍ଘ ଶ୍ଵାସ ଛାଡି ପିତାମହ ଉତ୍ତର ରଖିଲେ –“ମା’ ରେ ତୁମ ପ୍ରଶ୍ନ ଯଥାର୍ଥ । ସତ କହିବାକୁ ଗଲେ .... ସେଠି ଉପସ୍ଥିତ ସମସ୍ତଙ୍କର କିଛି ନା କିଛି ବାଧ୍ୟବାଧକତା ରହିଥିଲା, ଯାହା ଫଳରେ ତୁମ ସହ ଅନ୍ୟାୟକୁ ସହି ହେଉ ନଥିଲେ ମଧ୍ୟ ମୁହଁ ଖୋଲି କହି ପାରୁ ନଥିଲୁ । ତା ଛଡା ଆଉ ଗୋଟେ କାରଣ ଆମକୁ ଚୁପ ରହିବାକୁ ବାଧ୍ୟ କରିଥିଲା । ସେଇଟା ହେଲା ପାପ ଅନ୍ନ ।“
ଦ୍ରୌପଦୀ-“ପାପ ଅନ୍ନ ?”
ପିତାମହ-“ହଁ ... ପାପ ଅନ୍ନ । ଆମେ ସମସ୍ତେ ଦୁରାଚାରୀ ଦୁର୍ଯୋଧନର ପାପ ଅନ୍ନରେ ପ୍ରତିପାଳିତ ହେଉଥିଲୁ । ସେଇ ପାପ ଅନ୍ନରୁ ଉତ୍ପନ୍ନ ରକ୍ତ ଆମକୁ ନୀତି ନିଷ୍ଠ ମାର୍ଗରୁ ଦୂରେଇ ରଖିଥିଲା । ଯାହା ଫଳରେ ଆମେ ଅନ୍ୟାୟକୁ ସହଜରେ ବରଦାସ୍ତ କରି ଯାଇଥିଲୁ ।“
ଦ୍ରୌପଦୀ-“ହେଲେ ଆଜି କଣ ଆପଣଙ୍କ ଦେହରେ ସେ ପାପ ରକ୍ତ ପ୍ରବାହିତ ହେଉ ନାହିଁ ?”
ପିତାମହ-“ନା ରେ ମା’ ତୁମ ସ୍ଵାମୀ ଅର୍ଜୁନର ଶରାଘାତରେ ସେ ପାପ ରକ୍ତ ସବୁ ବହି ଯାଇଛି ଆଉ ତା’ ଶର ଦ୍ଵାରା ସୃଷ୍ଟ ମା’ ଗଙ୍ଗାଙ୍କର ପାଣି ପିଇ ମୋ ରକ୍ତ ସବୁ ପୂଣ୍ୟରକ୍ତରେ ପରିଣତ ହେଇ ସାରିଛି । ଯାହାପାଇଁ ତୁମକୁ ଏତେ ଭଲ ଭଲ ଉପଦେଶ ଦେଇ ପାରୁଛି । ମନେ ରଖିବୁ ମା’ ମଣିଷର ଚିନ୍ତା ଚେତନା ସବୁ ନିଜ ଗ୍ରହଣ କରୁଥିବା ଖାଦ୍ୟ ଉପରେ ନିର୍ଭର କରେ । ଯଦି ଜଣେ ପାପ ଅନ୍ନ ଭୋଜନ କରେ ତେବେ ସେ ନିଶ୍ଚୟ ପାପାଶକ୍ତ ହେଇ ପଡିବ । ତେଣୁ ସେଇଥି ପାଇଁ ଶାସ୍ତ୍ର କହିଛି ସବୁବେଳେ ସତ ଅର୍ଥ ଉପାର୍ଜନ କରି ସତ ଅନ୍ନ ଭୋଜନ କରିବ କାହିଁକି ନା ଅନ୍ନ ଘେନି ମନ । “
0 Comments:
Please do not enter any spam link in the comment box